ଅନ୍ନଦାତା
ମୂଷଳ ଧାରାରେ ବର୍ଷୁଥାଉ ମେଘ
ଜାଳି ଦେଉଥାଉ ଖରା ,
ଅଣଚାଶ ବାଆ ଆସୁଥାଉ ମାଡ଼ି
ଶୀତ ହେଉ ହାଡ଼ ଥରା ।
ଶୁନଶାନ୍ ପଛେ ରାସ୍ତାଘାଟ ଥାଉ
କ୍ଷେତେ ରହିଥାଏ ଚାଷୀ,
ହୃଦୟଟା ତାର ସେଠି ଥାଏ ଯେଣୁ
ପାରେନି ସେ ଘରେ ବସି ।
ସ୍ନିଗ୍ ଧ ମଧୁର ଚନ୍ଦ୍ର ଆତପ
ଶରତ ସୌରଭ କିବା,
ଆନମନା ତାକୁ କରିପାରେ ନାହିଁ
ବସନ୍ତ କୁସୁମ ଶୋଭା ।
ସଂସାର ବୋଇତ ବାହି ବାହି ଗାଇ
କାମରେ ନିବେଶି ମନ,
ଦାରିଦ୍ର୍ୟର କଷାଘାତେ ଜର୍ଜରିତ
ତଥାପି ମନରେ ଟାଣ ।
ଅଖିଳ ବିଶ୍ଵର ସଂଜୀବନୀ ସେତ
ସକଳ ଜୀବର ପ୍ରାଣ,
ଅଛି ରହିଥିବ ତା ଲାଗି ମହୀରେ
ବଞ୍ଚିବାର ପ୍ରକରଣ ।
ସବୁରି ମୁହଁ ରେ ହସ ଭରିବାକୁ
ସତେ ଅବା ତାର ପଣ,
ପୂରାଇ ଉଦର ଚଳାଏ ସଂସାର
ଅନ୍ନଦାତା ସିଏ ଆମ ।
କଷ୍ଟେ ଉତ୍ପାଦିତ ତା ଦ୍ରବ୍ୟର ମୂଲ୍ୟ
ଆନ କରେ ନିର୍ଦ୍ଧାରଣ,
ତା ଉତ୍ପାଦ ନେଇ ବସି ବ୍ୟବସାୟୀ
କରେ ବହୁ ଉପାର୍ଜନ ।
ଶୁଣିଛି କି କିଏ ତା ବେଦନା ଦଗ୍ଧ
ଅନ୍ତର ତଳର କୋହ ,
ଦେଖିଛି କି କେବେ ଅଭିମାନ ତାର
ପୋଛି ଦେଇଛିକି ଲୁହ ?
ଅତିବୃଷ୍ଟି ଅବା ଅନାବୃଷ୍ଟି ହେଲେ
ପୋକ ଚରିଗଲେ କ୍ଷେତ,
ହଂସା ଉଡିଯାଏ କିଭାବେ ଅଭାବେ
ଚଳିବ ସଂସାର ନାବ ?
ଭାବିବାକୁ ଆଉ ରାହା ମିଳେନାହିଁ
ନାହିଁ କେ ଭରସା ତାର
ଚରମ ନିଷ୍ପତ୍ତି ନେଇଯାଏ ଯଦି
ଭାସିଯାଏ ତା ସଂସାର ।
ନିତି ନିତି କେତେ ନୂଆ ନୂଆ ନୀତି
ପୂରାଇ ପାରିନି ଆଶା,
ଇସ୍ତାହାର ତାର ହିତରେ ନହେଲେ
ଘୁଞ୍ଚି ପାରିବକି ଦଶା ?
କଲେ ସେ ବିଦ୍ରୋହ ଜଠରୁ ଉଠିବ
ଜ୍ୱାଳାର ଅଗ୍ନି ମାଳା,
ହସୁଥାଉ ସିଏ ହସୁ ଏ ସଂସାର
ନହେଉ ତା ଅବହେଳା ।
ପ୍ରସନ୍ନ କୁମାର ଦାଶ
ବୁଦ୍ଧଗିରି ରୋଡ
ବୁଗୁଡ଼ା, ଗଞ୍ଜାମ
9778026508
See translation
Like
Comment
Share